Radio Kalahandi

From the blog

ଆରମ୍ଭ ହେଲା ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।

ଶୁଭେନ୍ଦ୍ର କୁମାର ମହାପାତ୍ର,

ଭୂବନେଶ୍ବର

ପୌଷ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶୁଭାରମ୍ଭ ହୋଇଛି ବରଗଡର ବିଶ୍ଵ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ମହୋତ୍ସବ ‘ଧନୁଯାତ୍ରା’। ଏଥର ବରଗଡ଼ ଧନୁଯାତ୍ରାକୁ ପୂରିଛି ୭୫ବର୍ଷ। ଏହି ଅବସରରେ ବରଗଡ଼ ଧନୁଯାତ୍ରା ପାଳନ କରୁଛି ତାହାର ହୀରକ ଜୟନ୍ତୀ ମହୋତ୍ସବ। ମହୋତ୍ସବକୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟଙ୍କ ସହ ଅନ୍ୟ ବିଧାୟକ ମାନେ ଶୁଭାରମ୍ଭ କରିଥିଲେ।

ଏହି ମହୋତ୍ସବରେ ବରଗଡ଼ ଜିଲ୍ଲପାଳ ତଥା ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ସଭାପତି ମୋନିଷା ବାନାର୍ଜୀ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ। ଧନୁଯାତ୍ରା ସମିତି ସମ୍ପାଦକ ସୁରେଶ୍ଵର ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଧନୁଯାତ୍ରାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ୭୫ଜଣ କଳାକାର ଧନୁଯାତ୍ରା ସ୍ମାରକୀ ନାଚଗୀତ ପରିବେଷଣ କରିଥିଲେ ।

ସନ୍ଧ୍ୟାରେ ସମଲେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଯାତ୍ରାର ଅନୁକୂଳ ହୋଇଥିଲା। ପ୍ରଥମ ଦିନରେ ମହାରାଜା ଉଗ୍ରସେନ ଜନତା ଦରବାରରେ ପ୍ରଜାଙ୍କ ଭଲମନ୍ଦ ବୁଝିବା ସହ ରାଜକାର୍ଯ୍ୟ ଆରମ୍ଭ କରିଥିଲେ। ଅଲିଅଳି ଝିଅ ଦେବକୀଙ୍କ ବିବାହ ପାଇଁ ମହାମନ୍ତ୍ରୀ ଅକ୍ରୁର ଏବଂ ମନ୍ତ୍ରୀମଣ୍ଡଳଙ୍କ ସହାୟତା ଲୋଡ଼ିଥିଲେ। ଅକ୍ରୁରଙ୍କ ପରାମର୍ଶ କ୍ରମେ ବସୁଦେବ ଓ ଦେବକୀଙ୍କ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା। ଏହି ବିବାହର ଦୃଶ୍ୟ ସ୍ଥାନୀୟ ରାମଜୀ ମନ୍ଦିରରେ ହୋଇଥିଲା।

ବିବାହ ପରେ ଭଉଣୀ – ଭିଣୋଇଙ୍କୁ ରଥରେ ବସାଇ ନେବାବେଳେ ହଠାତ୍ ଦୈବବାଣୀ ଶୁଣି ଯୁବରାଜ କଂସ ଚକିତ ଓ ବ୍ୟସ୍ତବିବ୍ରତ ହୋଇପଡ଼ିଲେ। ଗୋମତ ଊଷିଙ୍କ ଅଭିଶାପ ଭାଇକୁ ଭାଗାରୀ କରିଦେଲା। କଂସକୁ କଂସାସୁରରେ ପରିବର୍ତ୍ତନ କରିଦେଲା। କାଳ ବିଳମ୍ବ ନକରି ଭଉଣୀ – ଭିଣୋଇଙ୍କୁ କାରାଗାରରେ ବନ୍ଦୀ କରିବା ସହ କଡା ପହରା ଦେବାପାଇଁ ନିର୍ଦ୍ଦେଶ ଦେଲେ। ପ୍ରତିବାଦ କରିବାରୁ ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜେ ସିଂହାସନ ଆରୋହଣ କରିଥିଲେ। ଏଥିସହ ଉଗ୍ରସେନଙ୍କୁ କାରାଦଣ୍ଡ ମଧ୍ଯ ଦେଇଥିଲେ। ହେଲେ ପାତ୍ର ମନ୍ତ୍ରୀଙ୍କ ପରାମର୍ଶରେ ବୃଦ୍ଧ ପିତା ଉଗ୍ରସେନଙ୍କୁ କାରାଦଣ୍ଡରୁ ପ୍ରତ୍ୟାହାର କରି ରାଜ୍ଯ ସୀମାରେ ପହରା ଦେବାକୁ ଆଦେଶ ଦେଇଥିଲେ। ମହାରାଜା କଂସଙ୍କ ପ୍ରକୋପରେ ଥରହର ହୋଇଉଠିଲେ ମଥୁରାବାସୀ। କଂସ ଆତଙ୍କରେ ଭୟଭୀତ ଦେବତାଗଣ ଏବେ ବିଷ୍ଣୁଙ୍କ ସରଣାପର୍ଣ୍ଣ।

ସେପଟେ ଗୋପରେ ଭଗବତ ପ୍ରାପ୍ତି ନିମନ୍ତେ ନନ୍ଦରାଜା ଓ ନନ୍ଦରାଣୀ ପୂଜାର୍ଚ୍ଚନା କରିବା ସହ ଗୋପବାସୀଙ୍କ ସୁଖ ଦୁଃଖ ବୁଝିଥିଲେ। ଏହି ଦୃଶ୍ୟ ଦର୍ଶକଙ୍କୁ ବେଶ୍ ଆମୋଦ କରିଥିଲା।

Leave a Reply

Your email address will not be published. Required fields are marked *

  • https://cast3.my-control-panel.com/proxy/radiokld/stream
  • Live Internet Radio